କିଶୋରଚନ୍ଦ୍ରାନନ ଚମ୍ପୂ

 

 

 

 

 

 

 

 

 

କିଶୋରଚନ୍ଦ୍ରାନନ୍ଦ ଚମ୍ପୂ

କବିସୂର୍ଯ୍ୟ ବଳଦେବ ରଥ

 

ଶ୍ରୀ ରାଧାକୃଷ୍ଣାଭ୍ୟାଂ ନମଃ

ମଙ୍ଗଳାଚରଣ

 

ତେନେ ଯେନେହ କୃଷ୍ଣାବସନବିତରଣୋଦ୍‌ବେଗେନୈପୁଣ୍ୟପୁଣ୍ୟଂ,

ପାର୍ଥାନର୍ଥାନ୍ କୁରୂଣାମଧିପତିବିହିତାନ୍ ଯୋ ଜୁହାବାହବାଗ୍ନୌ ।

 

ସତ୍ୟାମତ୍ୟାନୟଦ୍ ଯୋ ଭୁବମମରତରୁଂ ସ୍ୱର୍ଗତୋଽନର୍ଗଳୌଜାଃ,

ହନ୍ତା ଦନ୍ତାବଳାର୍ତ୍ତେଃ ସ ପରମପୁରୁଷଃ ସନ୍ତତଂ ଶଂ ତନୋତୁ ।।

 

କ୍ୱ ବସ୍ତ୍ୱହିଫଟାନଟାଚରଣଲମ୍ପଟାଘ୍ରିଂଦ୍ୱୟଂ,

ମହଃ କ୍ୱ ଲସନ୍ନହାରଜତଜାତିଜୈତ୍ରଂ ପୁନଃ;

 

ତୟୋଃ କ୍ୱ ଘଟନାବିଧୌ କବନକଳ୍ପନଂ ସ୍ୱଳ୍ପଧୀ -

ରହଂ କ୍ୱ ଚ କଥଂ ହଠାଦୁଦିତମୀଦୃଶଂ ସାହସଂ ।।

 

କ ଚମ୍ପୂ

(ରାଗ - ସାବେରୀ)

 

କି ହେଲା ରେ, କହିତ ନୁହଇ ଭାରତୀରେ

କାଲି ଯା ଦୂରରୁ ଦେଖି କଳନା କଲା ମୋ ଆଖି

କଳାଇନ୍ଦୀବର ଆରତିରେ ।ପଦ।

କେଳି କଦମ୍ବ ଲତାର, କୋଳେ କି ଶ୍ୟାମଳତାର,

ତେଜ ସେ ରବିସୁତାର ତୀରେ,

କମ୍ପି ମୋର କଳେବର, ହୋଇଗଲା ଆରପାର,

ଯାହାକୁ ଡରଇ ତାର ତୀରେ ।୧।

କୁସୁମ କୋଦଣ୍ଡ କାଣ୍ଡ, କେତେ କରିଥିଲା ରୁଣ୍ଡ,
କର୍କଶ ନୋହିବା ଭାରତୀରେ,

କହୁଛି ବରଜି ଲଜ୍ଜା, କେବଳ ହେଲା ମୋ ମଜ୍ଜା,

ମଜ୍ଜିଯିବି କି ଉଭା ରତିରେ ।୨।

କି ମୋହନ ଲୀଲା ଧରି, କୋଟି କଳାକର ଶିରୀ,

ପୂରିଛି ସେ ଶ୍ୟାମ ମୂରତିରେ,

କୁତ୍ସା କରେ ମୁଁ ଧାତାକୁ, କାହିଁକି ସରଜି ତାକୁ,

ଚିରାୟୁ ରଖିଲା ଜରତୀରେ ।୩।

କି ନୀତି କି ଜାତିଶୀଳ, କି କୁଳ ବରତ ଫଳ,

ଠଉରି ପାରିଲା ମୋ ମତିରେ ?

କୋମଳତର ମୋହନ କୁଞ୍ଜକୁକ୍ଷିରୁ ନିଃସ୍ଵନ,

ଆସି ଚୁମ୍ବିଦେଲା ମୋ ଶ୍ରୁତିରେ ।୪।

କଲବଲ ଛଟପଟ, ହୋଇ ଯାଉଛି ନିପଟ,

ସଂବେଶ - ଅଶନ - ବିରତିରେ,

କହଇ ଶ୍ରୀ ବାଲୁକେଶ, ଶରଣ ଧରଣୀ ଈଶ,

ଏ କି ଦଣ୍ଡ ବିନା ପୀରତିରେ ।୫।

 

ଖ ଚମ୍ପୂ

(ରାଗ- କେଦାର)

 

ଖରାପ ତୁ ହେଲୁରେ,

ଖେଳଲୋଳଖଞ୍ଜନାକ୍ଷି କି ସାହସ କଲୁ ରେ ।ପଦ।

 

ଖର୍ବ ହୋଇ ସୁରତରୁକୁସୁମ ବାଞ୍ଛିଲୁ ରେ,

ଖେଦ - ବୀଜ ନିଜ ହୃଦ - କେଦାରେ ବିଞ୍ଚିଲୁ ରେ ।୧।

 

ଖିଆଲ ପରି କି ଧନ ମନରେ ଭାଳିଲୁ ରେ,

ଖଳିକାର ନୋହି କଳା ନାଗକୁ ଚାଳିଲୁରେ ।୨।

 

ଖରା ସ୍ମରି ଝାଉଁଳିବା ଶ୍ରୀଅଙ୍ଗ ପାଇଲୁ ରେ,

ଖମଣିମଣ୍ଡଳକୁ ତୁ କର ବଢ଼ାଇଲୁରେ ।୩।

 

ଖାଇ ଦେଇ କି ଅମଳ ଅଚେତା ହୋଇଲୁ ରେ,

ଖାରା ଖଣ୍ଡାଧାରା ଖଟ ବିଚାରି ଶୋଇଲୁରେ ।୪।

 

ଖଟେ ଅଷ୍ଟଦୁର୍ଗନାଥ ତୋ ପଦେ ପହିଲୁ ରେ,

ଖଣ୍ଟ କରେ ଧନ ଦେଇ ପଦେ ନ କହିଲୁରେ ।୫।

 

ଗ ଚମ୍ପୂ

(ରାଗ - ତୋଡିପରଜ)

 

ଗଲାଣି ତ ଗଲା କଥାରେ ସଙ୍ଗାତ,

ଗୁପତେ ସିନା ମୁଁ ତୋତେ ପଚାରିଲି, ବଳି ପଡିବାରୁ ବ୍ୟଥା ।ପଦ।

 

ଗଙ୍ଗାରୁ ବିଷଦ ଗଭୀର ତୋ ହୃଦ, ଗଣ୍ଠିଧନ ତୋର ସ୍ନେହ,

ଗୋଡ଼ ଖସି ଖେଦ ହେବାର ଦରଦ ଯିବାର ଉପାୟ କହ ।୧।

 

ଗଞ୍ଜାଇକି ଜିଣି ଲାଗି ତାର ପୁଣି ରଞ୍ଜାଇଲା ମନେ ଝଳି,

ଗୋଳା ଗରଳରୁ କଟୁ ପୀୟୂଷରୁ ସ୍ୱାଦୁଗୁଣ ଗଲା ବଳି ।୨।

 

ଗୋଳି ଦେଲା ମୋର ବାହାର ଭିତର ସ୍ଵର ସେ ଅବା ଶର ସେ,

ଗାତ୍ର ଗୋଟିଯାକ ପୂରିଲା ପୁଲକ ଶ୍ରବଣ ସୀମା ସ୍ପରଶେ ।୩।

 

ଗିଳିଦେଲା ପୁରନ୍ଦର-ନୀଳକର-କଳିକାମୟ ତିମିର;

ଗହନ କି ଗୃହ ହୋଇଲା ସନ୍ଦେହ ନିଶ୍ଚୟ ହୋଇ ବିଦୂର ।୪।

 

ଗତାଳସନାଟପଟୁ ଖଞ୍ଜରୀଟି ପରି କି ଆସିଲା ଉଡ଼ି,

ଗଣ୍ଡି ଗର୍ଭେ ଗୁଳି ଗଲା ପରି ଗଳି ବିବେକ ଦେଲା ଘଉଡ଼ି ।୫।

 

ଗଗନ-କୁସୁମ ପରି ଏଥି ଶ୍ରମ ଫଳ ହୋଇବ କି କାଳେ,

ଗୋଳିଆ ନ ରଖି କହ ଚନ୍ଦ୍ରମୁଖି ଗହଳି ନ ଥିବା ବେଳେ ।୬।

 

ଗରିଷ୍ଠ ଅରୁଚି କାହିଁକି କରୁଚି ଅଶନେ ବସନେ ଦେହେ,

ଗୁରୁଜନତତି ଜାଣିଲେ କି ଗତି ଅଷ୍ଟଦୁର୍ଗପତି ଭଣେ ।୭।

 

ଘ ଚମ୍ପୂ

(ରାଗ - କାମୋଦୀ)

 

ଘେନାଇ ଆମ୍ଭେ ଯେତେ କହିଲୁ ରେ, ଘେନିଲୁ ନାହିଁ ବାଳା ପହିଲୁ ରେ,

ଘୃତଘଟକୁ ଶିଖି-ଶିଖା ପାଖରେ ରଖି ଶିରୀଷଦେହା ଏହା ସହିଲୁରେ ।ପଦ।

 

ଘସ୍ରନାଥନନ୍ଦନା ଅନାଉଣିକି ମନ କରୁଁ ଯେ ଥାଉଁ ହଟି ଚାହିଁଲୁ ରେ,

ଘଟୀସରିକି କରେ ନାହିଁ କି ବିବେକରେ ମହାର୍ଣ୍ଣବରେ ଅବଗାହିଲୁରେ ।୧।

 

ଘୋଟି କିତବମୂଳ ଘୋରି ଘୋର ଜାଙ୍ଗଳ ଗରଳତୁଲେ ତାହା ପିଇଲୁ ରେ,

ଘୁମାଇବାର ସମ୍ଭବିଲା ନାହିଁ କି ଆମ୍ଭ ସୁଯୋଗୁଁ ସିନା ବଞ୍ଚି ଅଇଲୁ ରେ ।୨।

 

ଘେନି ଘେନାଇ ଯାଇ କହିବା ସମଜାଇ ଘଟିଲେ ଆମ୍ଭେ ଏକ ଜୀଇଲୁ ରେ,

ଘଟନା ବିରହରେ ଅବଶ୍ୟ ତ ଜହରେ ତୋ ଘେନି ଆତ୍ମଘାତୀ ହୋଇଲୁରେ ।୩।

 

ଘୋଳାରେ ପଛେ ମରୁ ଆଜୁ ତୋ ହୁକୁମରୁ ନିକୁଞ୍ଜ ଦଉଡ଼କୁ ରହିଲୁ ରେ,

ଘାଣ୍ଟି ହେଉଛୁ ମାତ୍ର ଆନୀଳଶତପତ୍ରନେତ୍ରା ଯା ଆମ୍ଭବଶ ନୋହିଲୁରେ ।୪।

 

ଘନେ ଚପଳା ଲୀଳା ଚାହିଁ ଘନକୁନ୍ତଳା ତୁ କି ଏ ଅଭିଲାଷ ବହିଲୁ ରେ,

ଘାରି ଦେଲୁକି ରସେ ଅଷ୍ଟଦୁର୍ଗେଶ ଭାଷେ ଅବଶ୍ୟ ମୋହନକୁ ମୋହିଲୁରେ ।୫।

 

ଙ ଚମ୍ପୂ

(ରାଗ-ସିନ୍ଧୁକାମୋଦୀ, କୁମ୍ଭକାମୋଦୀ)

 

ନୂଆ ନଟପଟଳୀମୁକୁଟ ହେ ନାହିଁ କି ଶ୍ରୀଅଙ୍ଗ ସୁଖ ,

ନିପଟ ନିସ୍ତେଜ ଦିଶୁଛି ତ ଆଜ ନିରଳସ ଚନ୍ଦ୍ରମୁଖ ।ପଦ।

 

ନୀଳୋତ୍ପଳ ବାସି ହେଲା ପରି ଦିଶି ଯାଉଛି ଦୂରୁ ଶ୍ରୀଅଙ୍ଗ,

ନାସା ନୀଳ ତିଳଫୁଲରୁ ଅନିଳ ପ୍ରସରୁଚି ବେଗ ବେଗ ।୧।

 

ନୀପ-ଉପବନ ନିକଟ, ପବନ ସ୍ପରଶରୁ ଯେବେ ଡର,

ନଦୀକୂଳ ସ୍ଥଳ ଏ ବଡ଼ ଶୀତଳ ନୁହନ୍ତାଟିକି ବିହାର ।୨।

 

ନିଦ ନାହିଁ କି ନୟନେ ନିଶି ଦିନ ଆହା ମରଇ ମୋ ଧନ,

ନବନୀତ ତହୁଁ ମୃଦୁ ଦେହେ କାହୁଁ ସମ୍ଭବିଲା ଏ କଦନ ।୩।

 

ନବ ହେମଦ୍ୟୁତି ଅମରୀଏ ନିତି ନିଅନ୍ତି ଫୁଲ ଏ ବନୁ,

ନେତ୍ରପଥେ ପଡ଼ିଗଲେ କି ସେ ଛାଡ଼ି ଯାଉ ନାହିଁ ଜ୍ଵର ମନୁ ।୪।

 

ନ ବିହର ଗୋପସଙ୍ଖାଳି ଏ ପାପ ଗହନରେ କିଛି ଦିନ,

ନରେଶମଣ୍ଡନ ଶ୍ରୀହରିଚନ୍ଦନ ଜଗଦ୍ଦେବ ସ୍ତବ ଘେନ ।୫।

 

ଚ ଚମ୍ପୂ

(ରାଗ - ପଞ୍ଚମ ବରାଡ଼ି)

 

ଚାହିଁ ଚାହିଁ ତୋ ସରଣୀ, କକୁଭକୁ ରେ ତରୁଣୀ ଚିତ୍ରାର୍ପିତ ପରି ଥିଲି ବସି।

ଚିତ୍ର ମଣିଲି ମୁଁ ତୋତେ, ଚାହିଁ ଯା ଅତରକିତେ, ଚାରିଚକ୍ଷୁ ମିଶାଇଲୁ ଆସି ରେ, ଚଳାପାଙ୍ଗି,

ଚନ୍ଦ୍ରରୁ ଚିପୁଡ଼ି ସୁଧା ଝରି, ଚିରତୃଷିତର ମୁଖେ ଭରି,

ଚାତୁର୍ଯ୍ୟ କୃପାଳୁ ଗୁଣ-ନିଧି ରଖିଲୁ କି ପ୍ରାଣ, ଘେନିଲି ମୁଁ ଏତେ ସରିକରିରେ ।୧।

ଚେତା ଥିଲା ପରି କିଛି ପ୍ରତୀତ ତ ହେଉଅଛି, ଚିକ୍‌କଣ ତ ଦିଶୁଛି ମୋ ଦେହ।

ଚିହ୍ନିକି ଲାଞ୍ଛନ ସତେ ଚାମରଚିକୁରା ମୋତେ ଚହକାଇ ପଚାରିଲୁ କହ ରେ, ଚଳାପାଙ୍ଗି,

ଚୁମ୍ବି ରବିନନ୍ଦନାର ନୀର, ଚନ୍ଦ୍ରିକାଚୟ ତୁଷାର ସାର;

ଚାରୁ ମାରୁତରୁ ତରୁ-ତଳ ଶୀତଳ ହେତୁରୁ, ଚିନାଏ ତ ଖେଦ ନାହିଁ ମୋର ରେ ।୨।

ଚାରି ହରିତରେ ଘେରି, ଚରାଉଥାନ୍ତି ବାଛୁରୀ, ଚୂଳମୁକୁଟିଆ ସଖାମାନେ।

ଚିରାମରା ଶୃଙ୍ଗ ବେଣୁ, ବାଦ୍ୟନାଦ ଶୁଣୁ ଶୁଣୁ, ଶେଷ ହୁଏ ଦିନେ ଦିନେ ଦିନେ ରେ, ଚଳାପାଙ୍ଗି,

ଚୁମ୍ବି ବାରୁଣୀକି ଦିନଦ୍ୟୁତି, ଚପଳେ ଅମ୍ବର ବରଜନ୍ତି,

ଚରମ ଭାଗ ମୋ ଭାରି, ଲାଗି ନାହିଁ ଭ୍ରମେ ଡରି, ଚମକି ତ ନାହିଁ ମୋର ଛାତିରେ ।୩।

ଚାମିକରଚାରୁ ଶିରୀ-ମତୀ ସେ କେଉଁ ଅମରୀ, ଚାଖି ନାହିଁ ଦିନେ ମୋ ନୟନ।

ଚମତ୍କାର କଥା ଦେଖି ପେଟରେ କପଟ ରଖି, ତୋତେ ନିକି ନ କହନ୍ତି ଘେନ ରେ,

ଚଳାପାଙ୍ଗି, ଚରାଚର ଚାଲି ଭୟମୟ, ଚକଟି ଦେଲୁ ମୋ ହୃଦାଶୟ,

ଚରଣ ଯୁଗକୁ ତୋର, ବନ୍ଦେ ଅଷ୍ଟଦୁର୍ଗେଶ୍ଵର, ଚୋରି ନାହିଁ ଥିଲେହେଁ ବଞ୍ଚାଅ ରେ ।୪।

 

ଛ ଚମ୍ପୂ

(ରାଗ- ମୁଖାବରୀ)

 

ଛଳବାହିନୀଶ ହେ, ଛାଡ଼ ଏ ସାହସ ହେ ।ପଦ।

ଛବି ତ ଆବିଳ ଦିଶେ, ଛପିବାରେ ଅଛି କି ସେ ।୧।

ଛଟା କାହା କଟାକ୍ଷର, ଛୁରୀ ହେଲା କି ବକ୍ଷର ।୨।

ଛେଲରୁ ତ ଚିନ୍ତା ବଳି, ଛାତିରେ ଗଲାନି ଗଳି ।୩।

ଛୁଟିଯାଇ ବିଚେତନା, ଛଟପଟ ହେବ ସିନା ।୪।

ଛଣା ସୁଧା ପରି ଦିଶେ, ଛୁଇଁଦେଲେ ବିଷଟି ସେ ।୫।

ଛନ୍ଦି ମନ ତୁମ୍ଭ ଗୁଣେ, ଛ-ଦୁଇ ଦୁର୍ଗେଶ ଭଣେ ।୬।

 

ଜ ଚମ୍ପୂ

(ରାଗ - କେଦାର ବା ପୁନାଙ୍ଗ)

 

ଜାଣିଛି ମୁଁ ଏତେ ମାତ୍ର ଗୋ ଲଳିତେ ଯାହା ଇଚ୍ଛା ତୋର ତାହା କର,

ଜ୍ଵଳନରୁ ବଳି ସେହି ଦିନୁ କେଳି କରେ ବିଭାବରୀ-ନାହା-କର ।ପଦ।

 

ଜଣ କେତେ ବ୍ରଜଶିଶୁ ଥିଲେ ନିଜ, ପୁରୁଁ ଆସୁଥିଲି ଖେଳାଇ ସମଜ,

ଜମ୍ଭାରାତିମଣି ଗିରୀନ୍ଦ୍ରକୁ ଜିଣିବାର ପୁରେ ହେଲା ମୋ ନଜର ।୧।

 

ଜାତିକୁରୁବିନ୍ଦ ବାତାୟନବୃନ୍ଦ, ଅନାଇଁ ମୁ ଚାଲୁଥିଲି ମନ୍ଦ ମନ୍ଦ,

ଜଙ୍ଗମ ହେବାର ଜମ୍ବୁନଦସାର ଶିରୀ ସ୍ଫୁରିଲା ସେ କି ପ୍ରକାର ।୨।

 

ଜୀବନଦ ନୀଳଜଳଜଯୁଗଳ, ବିଧୁବିମ୍ବେ ହୋଇ ବିଳାସବିଲୋଳ,

ଜାତ କଲା ଗର ଜରଜର ଶର-ନିକର ବରଷା ଖରତର ।୩।

 

ଜହରକୁ ଗୋଳି ଦେଲା ପରି ଗିଳି, ମୋହର ଦେହର ପୀଡ଼ା ଗଲା ବଳି,

ଜୀବନାଶା ଟଳି ଯାଉଅଛି କଳି ପାରୁ ନାହିଁ ମୁଁ ମୋ ହୃଦନ୍ତର ।୪।

 

ଜନମନୋହାରୀ ସେ ବିଚିତ୍ର ଶିରୀ, କାହା ନେତ୍ରପାତ୍ରେ ଯାଇ ନାହିଁ ପୂରି,

ଜଗଦ୍ଦେବ ହରିଚନ୍ଦନ ମୋହରି ନାମ କହୁଅଛି ନିରନ୍ତର ।୫।

 

ଝ ଚମ୍ପୂ

(ରାଗ - ମୁଖାବରୀ ବା ତୋଡ଼ିପରଜ)

 

ଝଗଡ଼ି ମାତ୍ର ହେଲ ହେ ଶ୍ୟାମ,

ଝିମୁଟ ହେବାକୁ ସହସ୍ର ଯାମ ।ପଦ।

 

ଝାଉଁଳିବା ନବ ତମାଳ ରମା,

ଝିଙ୍କି ଆଣି ଅଙ୍ଗେ ଲଣି ଜମା ।୧।

 

ଝଡ଼ିବ ବଳ କୋମଳ ଛାତିରୁ,

ଝଷଧ୍ଵଜପୀଡ଼ା ଝାଞ୍ଜି ତାତିରୁ ।୨।

 

ଝୁମି ଝୁମି ଲୁଠି ପୃଷ୍ଠେ ରସାର,

ଝୁରିବାର ଏକା ହୋଇବ ସାର ।୩।

 

ଝଳି ପାଞ୍ଚାଳୀ ଝଟକେ ନାହିଁ କି ?

ଝୋଲା ମାଇଲା ତୁମ୍ଭଙ୍କୁ କାହିଁକି ।୪।

 

ଝଲକି ଗଲ କୃଷ୍ଣ ଅକାରଣେ,

ଝାଡ଼ଖଣ୍ଡ ରସା ବାଦସା ଭଣେ ।୫।

 

ଞ ଚମ୍ପୂ

(ରାଗ - ତୋଡ଼ିଜଙ୍ଗଲା ବା ମୋହନା)

 

ନ ଭାଙ୍ଗରେ ଶୁଭାଙ୍ଗି, ଭାରତୀ ହୁଅ ସାହା ।ପଦ।

 

ନୋହିଲେ ତ ପରିତ୍ରାଣ, ନିର୍ଦ୍ଦୟ ନତନୁ ବାଣ,

ନିଃଶେଷ କଲାଟି ଦେହ-ଲାହା ।୧।

 

ନୀପକୁଞ୍ଜ ଉପକଣ୍ଠେ, ନ୍ୟସ୍ତ କରାଅ ମୋ କଣ୍ଠେ,

ନାଗରୀନ୍ଦ୍ର ନିରୁପମ ବାହା ।୨।

 

ନେତ୍ରାନ୍ତବିଳାସ ତାର, ନିଦାନ ଏ ଅବସ୍ଥାର,

ନିରେଖି ଉଚ୍ଚାରୁ ଥରେ ଆହା ।୩।

 

ନିଶ୍ଚୟ ଏ ଘେନ ଚିତ୍ତେ, ନ ଜୀଇବି କଦାଚିତେ,

ନ ବତାଇଲେ ତୁ ସୁଖ ରାହା ।୪।

 

ନାଥ ଅଷ୍ଟଦୁର୍ଗର ଯେ, ନୀତି ସେ ମୋ ପଦେ ଭଜେ,

ନିନ୍ଦିବଟି ନ କଲେ ତୁ ତାହା ।୫।

 

ଟ ଚମ୍ପୂ

(ରାଗ- ବଙ୍ଗଳାଶ୍ରୀ ବା ବସନ୍ତ)

 

ଟଙ୍କାରି କି ଶ୍ରବସରିକି ବାସବକୋଦଣ୍ଡରୁ ଚଣ୍ଡ ଧନୁ,

ଟାଣେ ବିନ୍ଧେ ଶମ୍ବସଦୃଶ କଳମ୍ବ ତୁମ୍ଭଙ୍କୁ ଏକା ଅତନୁ ହେ ।୧।

 

ଟେକି ଏ ସୁନ୍ଦର ଶ୍ରୀମୁଖଟି ପରଘରବୁଡ଼ା ଫରମାସ,

ଟିକାଏ ହେଲେ ଯେ ହୃଦୟ-ସରୋଜେ ନୋହିଲା ତ୍ରାସବିଳାସ ହେ ।୨।

 

ଟେକାଟେକି ମୋତେ କରି ନାନାମତେ ତୁମ୍ଭ କାମନା ପୂରିବ,

ଟାଣ ଖୁଣ୍ଟା ଗୁରୁଜନ ଗଞ୍ଜନାରୁ ମୋ ପ୍ରାଣସଖୀ ସରିବ ହେ ।୩।

 

ଟପା ଥିବା ଚାର ବଚନୁ ଗୋଚର ଯେତେ ସମାଚାର ଗୋପେ,

ଟିପିଦେଲେ କଂସ ଆଗେ କେ ନୃଶଂସ ନନ୍ଦ ବନ୍ଦୀ ହେବେ ଟୋପେ ହେ ।୪।

 

ଟାକିଛ ସୁଧାଂଶୁକଳାକୁ ଆକାଶୁଁ କରିବାକୁ ପାଣିଗତ,

ଟିକାୟିତ ଅଷ୍ଟଦୁର୍ଗର କହଇ ଶ୍ୟାମ ଏ କି ଆଚରିତ ହେ ।୫।

 

ଠ ଚମ୍ପୂ

(ରାଗ- ତୋଡ଼ି ବା ଦେଶାକ୍ଷ)

 

ଠିକ ଠ ବର୍ତ୍ତୁଳ ଚନ୍ଦ୍ରାନନା ତୋ ଚିତ୍ତ ରେ ।ପଦ।

ଠକ ରୀତି ନଆଚରି, ମୋ କଦନକୁ ବିଚାରି

ଅକପଟ ତ୍ରାଣବିଧି ଉଚିତରେ ।୧।

ଠଣା ଠୁଙ୍କି ତାପ ତ୍ରାସ - ମୁଣ୍ଡେ ମନମଥ ପାଶ-

ବନ୍ଧନ କର ତୁ ପରା ମୋଚିତରେ ।୨।

ଠଉରାଇ ଅବସର, କଲେ ତୁ ପ୍ରସଙ୍ଗ ମୋର,

ଯିବ ରାଜୀବନେତ୍ରାକୁ ରୁଚିତରେ ।୩।

ଠୋ କରି ଛିଣ୍ଡାଇ ଦେ ନା, ପ୍ରିୟସଖି ! ମୋ ବେଦନା,

ନ ଲାଗଇ ନିକି ତୋତେ କିଞ୍ଚିତରେ ।୪।

ଠାରିଦେଲେ ନେତ୍ରାଞ୍ଚଳେ, ବିଜନ ସ୍ଥଳେ ସେ ବଳେ,

ବିରାଜିବ କ୍ଷଣରୁଚି ଉଚିତରେ ।୫।

ଠାକୁର ଠାକୁରାଣୀଙ୍କ, ପଦମ୍ବୁଜଧ୍ୟାନରଙ୍କ,

ନୃପ ଜଗଦ୍ଦେବ କରେ ରଚିତ ରେ ।୬।

 

ଡ ଚମ୍ପୂ

(ରାଗ - ତୋଡ଼ିପରଜ)

 

ଡର ନାହିଁକି ହେ, ପରତରୁଣୀ ହରଣୁ;

ଡୋର ଲାଗି ଘେର ପଡ଼ିବ ଯେ ହେବ ଚୋର ପରି ଆଚରଣୁ ।ପଦ।

 

ଡୋଳା ପ୍ରତିମାକୁ ପରାୟେ ତୁମ୍ଭଙ୍କୁ ଯଶୋଦା ଅଛନ୍ତି ପାଳି,

ଡୁବିବଟି ଧନ କେଳିକି ମୋହନ ଲୋଡ଼ୁଛ ଯେ କୁଳପାଳି ।୧।

 

ଡକା ଦେବା ଦିନେ ଅରିଷ୍ଟେ ଉଭାନେ ଦେଖିଛୁଁ ଶକଟ ଦଶା,

ଡାକିମଧ୍ୟମାକୁ ଡାକି ଆଣିବାକୁ ଏଠାକୁ କାହା ଭରସା ।୨।

 

ଡବ ଡବ ବାରି ନିଃସରିବ ଚାରି ପହରେ ନୟନଯୁଗୁ,

ଡହ ଡହ ହେବ ମୃଦୁ ଅବୟବ ଶ୍ୟାମ ଶ୍ରୀଅଙ୍ଗୁଟି ଭୋଗୁ ।୩।

 

ଡାକି ତ ଜାଣ ମୋହନ ବଂଶୀରବେ ବିହର ସୁଖେ ଏ ବନେ,

ଡୁଇଁ ହେବୁଁ ସିନା ଆମ୍ଭେ ଫଳ ବିନା ନ ପଢ଼ୁ ତା ଆମ୍ଭ କାନେ ।୪।

 

ଡାଳିମ୍ବମଞ୍ଜି ମଞ୍ଜୁଳଦଶନା ସେ ଖେଳୁଥାଉ ତୁମ୍ଭ ତୁଲେ,

ଡେଉଁଥାଅ ବନଯାକ ତୁମ୍ଭ ମନ ଶ୍ରୀହରିଚନ୍ଦନ ବୋଲେ ।୫।

 

ଢ ଚମ୍ପୂ

(ରାଗ- ଦେଶାକ୍ଷ)

 

ଢାଳେ ତ ଢାଳିଲୁ ନାହିଁ କୃପାସୁଧା ଝରିକିରେ ।ପଦ।

 

ଢକ୍‌କା ବାଜୁଥାଇ ବ୍ରଜେ, ଲଳିତାର ହୃଦମ୍ବୁଜେ,

କରୁଣା ଅଛି ବୋଲି ଯା ନେଲା କେ ତା ହରିକି ରେ ।୧।

 

ଢୋଳାଇଲା ପରି ଢଳି, ତଳେ ପଡ଼ିଯିବା ଭଳି,

ହେଲିନି ଯେ କୁନ୍ଦକଳିଦଶନା ଏ ସରିକିରେ ।୨।

 

ଢୁକାଇ ଦେଲେ ତୃଷିତ, ଚକୋର ଚଞ୍ଚୁରେ ଶୀତ-

ଭାନୁଚନ୍ଦ୍ରିକାକୁ ବିତ୍ତ ଯାଏ କିଛି ସରିକିରେ ।୩।

 

ଢୋକୁଟିକୁ ସିନା ହଟି, ମୋ ସାର ଯାଉଛି ତୁଟି,

ପିଇ ଦିଅନ୍ତି କି ଗୋଟିଯାକ ସେ କିଶୋରୀକି ରେ ।୪।

 

ଢବା-ତନାବିରୁ ଗୋପ-ନଗରୀର ବନ୍ଦେ ଭୂପ,

ବାଲୁକେଶ ଦେବ ନୀପ କୁଞ୍ଜପୁଞ୍ଜ ସରିକି ରେ ।୫।

 

ଣ ଚମ୍ପୂ

(ରାଗ - ସୋମ)

 

ଅତସୀ କୁସୁମସମ ଶ୍ୟାମ ହେ ମୁଁ ଗଲିଟି ।ପଦ।

 

ଅଳି ତୁମ୍ଭର ନିବିଡ଼, ଅସହିଷ୍ଣୁ ସେ ଯେ ବଡ଼,

ଅବଶ୍ୟ ତ ଛାମୁରେ ମୁଁ ନିବେଦନ କଲିଟି ।୧।

 

ଅଧ ଅଧରରେ ସ୍ମିତ, ଉଲ୍ଲାସି ହେଲେ ଲଜ୍ଜିତ,

ଊହିବି ଏହିଟି ବୋଲି କୃପାକଳ୍ପବଲ୍ଲୀଟି ।୨।

 

ଆରକତ କଲେ ମୁଖ, ଅଖଣ୍ଡ ସୁଧାମୟୂଖ,

ଆବୁର ସରିବ ମୋର ଜୀଇଲେ ହେଁ ମଲିଟି ।୩।

 

ଅଦୃଷ୍ଟବଳୁଁ କିଶୋରୀ, ଅଙ୍ଗୀକାର କଲେ ସରି,

ଅଭାବେ ଉଚ୍ଛନ୍ନ ହେବ ଏ ବଲ୍ଲବ - ପଲ୍ଲୀଟି ।୪।

ଉଗ୍ର ନିର୍ଦ୍ଦେଶ ନୃପର, ଉପବନ ଗୋପପୁର,

ଆଶ୍ରୟ ନୋହିବ ଗୋବର୍ଦ୍ଧନ ଗିରିଦରୀଟି ।୫।

 

ଅଷ୍ଟଦୁର୍ଗନାଥ ଭାଷେ, ଆହା ଧ୍ୟାନେ କି ଶୋଭା ସେ,

ଅଖିଳ ଜନନୀ ନାସା ମୃଗମଦକଲିଟି ।୬।

 

ତ ଚମ୍ପୂ

(ରାଗ- କାନଡ଼ଗୌଡ଼ା ବା କନଡ଼ା)

 

ତୋ ଘେନି ତମାଳଶ୍ୟାମ ମୋ ମରଜି କଷିଲା ରେ,

ତଥାପି ତ ତିଳେ ହେଲେ ତୋ ସ୍ନେହେ ନ ରସିଲାରେ ।ପଦ।

ତଳେ ବସନ ପ୍ରସାରି, ତୃଣ ଦଶନାନ୍ତେ ଧରି,

କହିଲେ ହେଁ ଅନୁସରି, ରାଜି ତ ନ ଦିଶିଲାରେ ।୧।

ତହୁଁ କି ବିଷମଭାବ, ତର୍କିଲା ମୋ ଚାଟୁ ଶ୍ରବ-

ତଟକୁ ଘଟନ୍ତେ ଅବଦାନ ବିନା ହସିଲା ରେ ।୨।

ତପନଜାତଟକୁ ତୁ, ତରୁଣୀଟା କେଉଁ କୁତୂ-

ହଳରୁ ଆସିଲୁ ହେତୁ, କହି ବୋଲି ଘୋଷିଲା ରେ ।୩।

ତାର ତୋର ସୁଲୋଚନା, ତାରତମ୍ୟ ବିବେଚନା-

ଲବ ହୋଇ ନାହିଁ ତହିଁ, ତୋ ଚିତ୍ତ କେ ପେଷିଲା ରେ ।୪।

ତିରସ୍କାର ପୂର୍ବଭାଷା, ତରଳାଇ ସୁଖ ଆଶା,

ତୋଟିକି ଚୁମ୍ବିଲା ତୃଷା, ତିମିର ବିଳସିଲା ରେ ।୫।

ତୁଚ୍ଛ ସ୍ନେହମନ ଜନ, ତୋ ସଙ୍ଗକୁ କି ଭାଜନ,

ପ୍ରପନ୍ନ ହରିଚନ୍ଦନ ଜଗଦ୍ଦେବ ଭାଷିଲା ରେ ।୬।

 

ଥ ଚମ୍ପୂ

(ରାଗ - ଝଂଝୋଟା ବା ତୋଡ଼ୀ ଜଙ୍ଗଲା)

 

ଥାପିରେ କହ ତଥାପିରେ ପ୍ରିୟସଖି, ଥିବି କି ଛାଡ଼ିବି ପ୍ରାଣ ।ପଦ।

ଥିଲା ପରି ସ୍ନେହ ଲାଗିଲା କି କହ, ଅଛିଟି ତୋତେ ମୋ ରାଣ ।୧।

ଥକାଇ ତୁ କହୁ, କହୁ ଧୃତି ରହୁ, ନାହିଁଟି ମୋହର ଜାଣ ।୨।

ଥୋକାଏ ତୋ ପ୍ରୀତି-ବିଧିକି ସମ୍ମତି, କଲେ କି ମୋ ପରିତ୍ରାଣ ।୩।

ଥରେ ହେଲେ ବିକି, ହେବି ମୋତେ ନିକି, ବଞ୍ଚାଇବ ପଞ୍ଚବାଣ ।୪।

ଥୋଇ ହୃଦେ ଛଳ, ନ କର ବିକଳ, କହେ ଅଷ୍ଟଦୁର୍ଗରାଣ ।୫।

 

ଦ ଚମ୍ପୂ

(ରାଗ: ଭଟିଆରି)

 

ରେ ଦୁଃଖୀଧନ, ଦମ୍ଭ ଦେଖିବାକୁ ସିନା କଲି ଛନ,

ଦୁଃଖମୟ ନ କର ସରସ ମନ ।ପଦ।

ଦୂରୁ ମୁଁ ଯିବାର ଜାଣି ହରି, ଦରିଦ୍ର ନିଧି ଲଭିଲା ପରି,

ଦ୍ଵିଗୁଣ ଆଦରେ ପ୍ରମୋଦନଦରେ ମଜ୍ଜି ଘେନିଗଲେ କରଧରି ।୧।

ଦୟାଜରଜର କରି ଚିତ୍ତ, ଦନ୍ତବାସେ ରଖି ଦରସ୍ମିତ,

ଦଶବାର ଅନାମୟ ମୋତେ ଘେନାଘେନି କରି ପଚାରିଲେ ମିତ ।୨।

ଦେଖିଲି ଯାହା ଶ୍ରୀଅଙ୍ଗଦ୍ୟୁତି, ଦଳି ହୋଇଗଲା ମୋର ଛାତି,

ଦ୍ଵିତୀୟାର ଶଶି-ଲେଖା ପରି ଦିଶି-ଗଲେଣି ସେ ଇନ୍ଦ୍ରନୀଳହାତୀ ।୩।

ଦୁର୍ବାର ତୋ ନେତ୍ରାଞ୍ଚଳଶର, ଦେବାରୁ ଦୁଃଖ ଦୁଃସହତର,

ଦିବାଲା ହେବାର ଦେହମଜ୍ଜାସାର ଜାଣି ଯା ହେଲା ମାନସ ମୋର ।୪।

ଦୁର୍ବଳ ସାଳସ ଦେଖି ଚାଲି, ଦୁରୂହରେ କିଛି ପଚାରିଲି,

ଦୀର୍ଘ ତପତ ନାସାନିଳ ତେଜିଲେ ଆହା ମରଇ ତ ବିଚାରିଲି ।୫।

ଦେବ ଦଇବ ତୋ ଅଭିମତ, ଦୂର କର ଦ୍ଵାପରକୁ ଚେତ,

ଦବିଷ୍ଠ ଏ କଷ୍ଟଯାକ ହେବ ଅଷ୍ଟଦୁର୍ଗନାଥର ଏ ବିରଚିତ ।୬।

 

ଧ ଚମ୍ପୂ

(ରାଗ- କନଡ଼ାକାଫି ବା ତୋଡ଼ିଜଙ୍ଗଲା)

 

ଧୀରା ରେ କି ଧନ ତୁ ନ ଦେଲୁ ଆଜ,

ଧଇଲେ କି ସତେ କର ଯୁବରାଜ ।ପଦ।

 

ଧରମ ବଳୁ କି ମୋର, ଧୂପି ଦେଇ ନିଜ କର,

କୋଳକୁ ଆଣିଲୁ କଳାଦ୍ଵିଜରାଜ ।୧।

 

ଧୁରନ୍ଧର ସେ ଇଙ୍ଗିତେ, ଧରଷିଲୁ କେହି ସତେ,

ଧମକାଇଲା ନାହିଁ କି କିଛି ଲାଜ ।୨।

 

ଧରାରେ ଯେତେ ପୁରୁଷେ, ଧୂର୍ତ୍ତ ତାହାଙ୍କ ଗୁରୁ ସେ,

ଧନରୁ ଯେ ବଳେ ତାହାଙ୍କର ବ୍ୟାଜ ।୩।

 

ଧୃତି ହୋଇ ବଳହୀନ, ଧୂସର ହୋଇବ ମନ,

ଧୋଇ ଚିନ୍ତା କଳଙ୍କ ସମାଜ ମାଜ ।୪।

 

ଧରଣୀନ୍ଦ୍ର ଜଗଦ୍ଦେବ, ଧ୍ୟାନେ ବଲ୍ଲବୀବଲ୍ଲବ-

ଧରାଧୂଳି କରେ ମସ୍ତକରେ ତାଜ ।୫।

 

ନ ଚମ୍ପୂ

(ରାଗ- କାମୋଦୀ)

 

ନବବିଳାସିନୀ ରେ, ନକ୍ଷତ୍ରେଶ – ହାସିନୀ ।ପଦ।

ନାହିଁ ବୋଲିବା ବାଣୀ, ନିପଟ ନାହିଁ ଶୁଣି,

ନଳିନାକ୍ଷି ରେ ହୋଇ କିସ ହେବ,

ନନ୍ଦନନ୍ଦନ ପ୍ରେମା, ପ୍ରେମାରେ ନୁହେ ଜମା,

ନିତମ୍ବିନୀଙ୍କ ଯେବେ ଗତି ଥିବ ।୧।

 

ନିଷ୍ଠୁର ଗୁଣ କୁଳି - ଶରୁ ପଡ଼ିଛି ବଳି,

‘ନିଶ୍ଚୟ’ ତିନି ବର୍ଣ୍ଣ ନାହିଁ ଲେଖି,

ନାଗରୀବିମୋହନ, ମନ୍ତ୍ର ମାତ୍ରକ ମନ,

କପଟ ସମ୍ପୁଟରେ ଅଛି ରଖି ।୨।

 

ନିରନ୍ତରାୟ ରସ, ପ୍ରସାରଣେ ପୀୟୂଷ -

ଧାରାଧିକ୍‌କାରକାରୀ ପରି ଲାଗେ,

ନିମିଷକରେ ଜ୍ଵାଳା, ଜନ୍ମାଏ ଜିଣି ହାଳା -

ହଳକୁ ଯେ ସଙ୍ଖାଳି ମହାନାଗେ ।୩।

 

 

ନିଶିଦିନ ଶୟନ, ନ ଜାଣଇ, ନବୀନ

ବିସିନୀଦଳ ଶେଯ ଯାଏ ଜଳି,

ନୀପବନ ପବନ, ନିର୍ଦ୍ଧୂମଶିଖ ଧନ -

ଞ୍ଜୟ ଝାସରୁ କରେ କଟୁକେଳି ।୪।

 

ନିନ୍ଦାର ନିକେତନ, ହୋଇବୁରେ ନୂତନ -

ମନ୍ଦାର - ବିମ୍ବ - କୁରୁବିନ୍ଦାଧରା,

ନିଶା - ରମଣ – କର – କଳିକା - କଣ ତୋର,

ହୋଇଯିବ କଳ୍ପାନ୍ତକାଳ ଖରା ।୫।

 

ନ ବରଷରୁ ଊଣା, କାଳୁ ତ ଅଛି ଜଣା,

ନଖାଗ୍ରେ ଉଦ୍ଧରିଲା ଗୋବର୍ଦ୍ଧନ,

ନବନୀରଜ କୋଷ - ନିଭ ତୋ କୁଚ କିସ,

ଅଣ୍ଟିବ କଣ୍ଡୀରବମଧ୍ୟା ଘେନ ।୬।

 

ନିବେଦନ କରୁଛି, କରକଞ୍ଜ ଧରୁଛି,

ହେଲେ ହେଉ ଅରୁଚି ନିଦ୍ରାହାରେ,

ନରନାଥ ଶ୍ରୀହରି - ଚନ୍ଦନ ବନ୍ଦେ ଗୋରି,

ନ ରସ ନୀଳବାହା ମୁଦ୍ରାହାରେ ।୭।

 

ପ ଚମ୍ପୂ

(ରାଗ - ଭୈରବ)

 

ପ୍ରିୟସହି, ପରମାଦ ବଡ଼ ତୁହି ଗୋ,

ପାରୁ କେତେ ଛନ୍ଦେ ମୋହି ଗୋ।ପଦ।

ପରମପଦରେ ଦେଇ ଜାଣୁ ତୁ ରସାଇ,

ପୁଣି ତହୁଁ ଜାଣୁ ତଳାତଳକୁ ଖସାଇ,

ପାସୋରାଇ ମନୁ ନାନା କଦନ ଲସାଇ,

ପୀଡ଼ୁ ଅଶ୍ରୁ ବରଷାଇ ଗୋ ।୧।

 

ପ୍ରପଞ୍ଚଯାକରେ ଜଣା ନ ଥାଇ ସଂଶୟ,

ପସନ୍ଦ ନୁହଇ ପରପୁରୁଷରେ ସ୍ନେହ,

ପରବଶ ହେବ ଯେବେ ପ୍ରାଣତୁଲେ ଦେହ,

ପ୍ରାଣୀ କି କରିବ କହ ଗୋ ।୨।

 

ପରବଚନ୍ଦ୍ର ଚିପୁଡ଼ି ପିଇବା ପୀୟୂଷ,

ପରିଣତି ସମୟେ ସେ ହେବ ଯେବେ ବିଷ,

ପ୍ରପନ୍ନ ହେବା ଗଙ୍ଗାରେ ଜନ୍ମିଲେ କିଳ୍ୱିଷ,

ପ୍ରୟୋଗ କରିବା କିସ ଗୋ ।୩।

 

ପିଆଇ ଦୁହିଁଙ୍କି ଥରେ ଦୁହିଁଙ୍କ ଅଧର,

ପଛେ କହ ଆଚରଣ ପୂତନାବଧର,

‘ପୀତପଟନଟ’ ନାଁ ମୋ ଆଗରେ ନ ଧର,

ପାଳିଏ ମାତ୍ର ଉଦ୍ଧର ଗୋ ।୪।

 

ପୁରନ୍ଦରମଣି ଶ୍ୟାମେ ଅଛି ମୋ ତରସ,

ପରପରିବାଦ ମୁଣ୍ଡେ ଟାକର ବରଷ,

ପୃଥ୍ଵୀଚକ୍ରବାଳ ପରିବୃଢ଼ ବାଲୁକେଶ,

ପ୍ରସରାଇଲେ ଏ ରସ ଗୋ ।୫।

 

ଫ ଚମ୍ପୂ

(ରାଗ - ପୂରବୀ ବା ତୋଡ଼ିପରଜ)

 

ଫାଟି ପଡ଼ିବାର ନିକୁଞ୍ଜସଞ୍ଚାର - ଶ୍ରମୁଁ ମୋ ଚରଣତଳ,

ଫତୁରିଖୋର ଆଖରକୁ ହେବାର ଏହି ଏକା ଏଥୁଁ ଫଳ,

ରେ କିଶୋରି, ଫିଟିଗଲା ଯେ ସନ୍ଦେହ,

ଫୁଲିଗଲୁ ଫୁଲଲଲାମରସିକା ଜାଣି ପରା ଶ୍ୟାମସ୍ନେହ ରେ ।୧।

ଫନ୍ଦାଇ ନାନା ବିନୟେ କହି ଦନ୍ତେ ତୃଣ ଧରିବାର ଗଲା,

ଫଟା କପାଳରେ କୁଟିଳହୃଦୟା ବୋଲାଇବା ଲେଖା ଥିଲା,

ରେ କିଶୋରି, ଫନ୍ଦାଧନ ତୁ ତ ମୋର,

ଫରିଆଦ କାହିଁ ତୋ ନାମେ କରିବି ନିନ୍ଦା କଲେ ପଛେ କର ରେ ।୨।

ଫରୁଆରେ ପରି ଉରଜରେ ଭରି ରଖ ସେ ନୀଳମଣିକି,

ଫଉଜତୁଲେ କୁଞ୍ଜଦ୍ଵାରେ ରଖାଅ ବେତ୍ରବଲ୍ଲୀଧରଣୀକି,

ରେ କିଶୋରି, ଫରମାସ ମନେ ମନେ,

ଫେଇଦିଅ ମୋ ଆବୁର ମୁଁ ଯେବେ ଯିବି ସେ ଦିଗକୁ ଦିନେ ରେ ।୩।

ଫଜିତ ହୋଇ ଦୂରରେ ଥିଲେ ତୋତେ ଭଜିତ ଥିବାର ସତ,

ଫେଡ଼ନ୍ତୁ ତୋ କଷ୍ଟ ସୁଖ ଦେଇ ଅଷ୍ଟଶ୍ରୁତି ଏ ଆମ୍ଭ ବାଞ୍ଛିତ,

ରେ କିଶୋରି, ଫୁରୁଣା ହୋଇ ତୁ ରସ,

ଫେରି ଆସି ମାତ୍ର ଆମ୍ଭ ଆଗେ ନେତ୍ରକଞ୍ଜୁ ନୀର ନ ବରଷ ରେ ।୪।

ଫୋଟକା ହେଉଛି ସିଞ୍ଚିବା କର୍ପୂର ଚନ୍ଦନ ମିଶ୍ରିତ ବାରି,

ଫୁଙ୍କିଦେଲେ ଉଡ଼ିଯିବା ପରି ସଡ଼ି ଅଛିଟି ତନୁ - ବଲ୍ଲରୀ,

ରେ କିଶୋରି, ଫୁକାରା ନୋହୁ ଜଗତେ,

ଫତୁଆ ନୁହଟି ବୋଲେ ଜଗଦ୍ଦେବ ହରିଚନ୍ଦନ ଏ ଗୀତେ ।୫।

 

ବ ଚମ୍ପୂ

(ରାଗ - ସାବେରୀ)

 

ବିଚକ୍ଷଣା ରେ, ବିନା ତୋ ପ୍ରୀତି କେ ଗତି ଅଛି ଜଗତୀରେ ।ପଦ।

 

ବୋଲି ଦେଲି ସିନା ଗେଲେ ହସି, ବିଶ୍ଵେ ତୋ ସମ କାହିଁ ବିଶ୍ଵାସୀ,

ବାନ୍ଧିବାକୁ ମୋ ମନ ତୁ ପାଶି,

ବିଶେଷରେ ମୋ ହୃଦନ୍ତର ତୋତେ ଜଣା ରେ ।୧।

 

ବିଶ୍ଵମ୍ଭରାରଜଖେଳା କାଳୁ, ବହିଃ-ପ୍ରାଣ ପରି ପରିପାଳୁ,

ବିଧିବଶୁ ନିସର୍ଗକୃପାଳୁ,

ବ୍ରଜେ ହେଉଛି ଏହି ଡିଣ୍ଡିମ ବାଜଣାରେ ।୨।

 

ବିକେ କିଣେ ଯେ ଯାହାକୁ ସ୍ନେହେ, ବଡ଼ ତାଠାରୁ ଜୀବନ ନୋହେ,

ବଳ ତାହାଠାରେ ସିନା ସହେ,

ବହିରଙ୍ଗେ ବୁଲୁଛନ୍ତି ଦେଖ ଅଗଣାରେ ।୩।

 

ବୋଲେ ଅଷ୍ଟଦୁର୍ଗର ମଘବା, ବଲ୍ଲୀ ନିକଟକୁ ଚାଲ ଯିବା,

ବଂଶୀଗୀତ ପୀୟୂଷ ପୀଇବା,

ବିଭାବରୀ ନ ପାହୁଁ ଆସିବା ଅଜଣାରେ ।୪।

 

ଭ ଚମ୍ପୂ

(ରାଗ - କେଦାରଗୌଡ଼ା)

 

ଭଙ୍ଗୀ ଚାହାଁ, ଭୁରୂନୀଳଭୁଜଙ୍ଗୀ - ଭ୍ରମର, ଜୀବସଙ୍ଗୀ ।ପଦ।

 

ଭାଗ୍ୟ ଏ ଜନ ଆଖି, ଜନନରଟି ସଖି, ଜାଣରେ,

ଭରମି ନ ଯା ତୁ ମନ୍ମଥ - ବାଣରେ,

ଭୁଜପାଶିକୁ ଛନ୍ଦି ମୋ ଗଳେ, ଭିଡ଼େ ପଦକଞ୍ଜ ଖଞ୍ଜ ଧରଣୀତଳେ,

ଭୂମଣ୍ଡନା ରେ,

ଭଲା ମାନୁଛି ଦେଖ, ମୁଖସୁଧାମୟୂଖ,

ଅଳକତଳ ଅଖ - ଣ୍ଡିତ ରୋଚନାରେଖ,

ତିଳକେ ଦୃଷ୍ଟି ରଖ, ସଖି ରେ, କି ଦିଶେ ଚଳାଚଳ, ଚାରୁଚନ୍ଦ୍ରକଚୂଳ ।୧।

 

ଭର୍ତ୍ସିତ ନବରବି, କୁଣ୍ଡଳଯୁଗ ଛବି, ଗଣ୍ଡରେ,

ଭିଦୁର ଏହିଟି ବିବେକମୁଣ୍ଡରେ,

ଭବ୍ୟଦାୟକ ମାଣିକ୍ୟବର, ଭ୍ରମ ଜାତ କରୁଅଛି ମଧୁରାଧର,

ଭୂମଣ୍ଡନା ରେ,

ଭୁଷୁଡ଼ିବଟି ସତୀ - ବ୍ରତ ନିୟମ ଧୃତି,

ଶ୍ରୀଅଙ୍ଗସଙ୍ଗ ମତି, ବିନା ଅନାଅ ଦ୍ୟୁତି,

ମଦଦ୍ଵିରଦଗତି, ସଖି ରେ, ଶୋଭାନିଧି ତୋ ଗାତ୍ର, ନ ଚୁମ୍ବୁ ଶ୍ୟାମନେତ୍ର ।୨।

 

ଭଙ୍ଗୀତ୍ରୟରେ ଉଭା, ହେବାର କେଡ଼େ ଶୋଭା ପ୍ରକାଶେ,

ଭରାଜି କି ହାର ସେ ବକ୍ଷ ଆକାଶେ,

ଭର୍ଗସମାଧି ଭଙ୍ଗ କରିବି, ଭଲେ ଏହା କରକମଳ ବଂଶୀରବ,

ଭୂମଣ୍ଡନା ରେ,

ଭୂତିଭୂଷ - ବିପକ୍ଷ - ପ୍ରକ୍ଷ୍ୱେଡ଼ନରୁ ତିକ୍ଷ,

ଏ କିଶୋର କଟାକ୍ଷ, କନକାଚଳ ବକ୍ଷ,

କେବଳ ଏହା ଲକ୍ଷ୍ୟ, ସଖି ରେ, କହ ବିଚାରି ସତେ, ଯୁବତିଧୃତି କେତେ ।୩।

 

ଭାଷିଲେ, ଅଷ୍ଟ ଦୁର୍ଗ-କ୍ଷିତି କପଟସ୍ଵର୍ଗ, ମଘବା,

ଏ ଶୃଙ୍ଗାର ସୁଧାବରଷୀ ମେଘ ବା,

ଭୃତ୍ୟପଣରେ ହେଲେ ଏହାର, ଭୁଜଭୁଜଗେନ୍ଦ୍ର କରନ୍ତା କଣ୍ଠେ ହାର,

ଭୂମଣ୍ଡନା ରେ,

ଭଜିଥାନ୍ତା ରଜନୀ, ଦିବସେ ପିକଦାନୀ,

ଖଟି ଏ କୃପା ଘେନି, ସାର୍ଥ ହୁଅନ୍ତା ଜନି,

ସତେ ଜଳଜଯୋନି ସଖି ରେ, କରିବେ ଅନୁଗ୍ରହ, ଏ ମୋହନ ବିଗ୍ରହ ।୪।

 

ମ ଚମ୍ପୂ

(ରାଗ - ମରୁଆ ବା କାମୋଦୀ)

 

ମଧୁରେ, ମନ୍ଦ ମନ୍ଦ ହୋଇ ଗନ୍ଧବହ ପ୍ରସରିଲା କଦମ୍ବ ନିକୁଞ୍ଜସୀମାରେ,

ମରନ୍ଦ ସେକେ ଚମକି ଲୋକେ ଭାଷିଲେ ଇଷି ମାରେ,

ମିଳିନ୍ଦ ଲତାଦମ୍ଭବନିତା ବଦନେ ମିଶି ମାରେ,

ମଣ୍ଡିତ ହେଲା ସେ ବନସ୍ଥଳ, ମହାରଜତ ମହେନ୍ଦ୍ର ନୀଳ -

ମୟୂଖ ଶିରୀମୟ ମଞ୍ଜରୀ ବିସର ସୁଷମାରେ ।ପଦ।

 

ମିଶିଲା ଚାରି, ଲୋଚନ ବାରି - ରୁହ ମଦନୁ ଲଭି ଲଚାରି,

ମିଳିଲା ଶ୍ୟାମ ଗଉର ଦୁଇ ମହ,

ମଧୁପ ଯୁବା ଲଭିଲା ଅବା ନବ ସରସୀରୁହ,

ମାନସ ଅଙ୍ଗଭେଦ ପ୍ରସଙ୍ଗ ଭଙ୍ଗ ରଚିଲା ସ୍ନେହ,

ମଉଳିଗଲା ଶେଷ ସାତ୍ତ୍ଵିକ, ମୃଡ଼ନୟନ ସଂଖ୍ୟକଯାକ,

ମଜ୍ଜାଇ ଦେଲା ଦୁହିଙ୍କ ମନ ମହାମୋଦପ୍ରବାହ ।୧।

 

ମଦଦ୍ଵିରଦ - ମଥିତହ୍ରଦ, ମୂର୍ଚ୍ଛିତ ମହୋତ୍ପଳ ଆମୋଦ,

ଫୁଲ୍ଲପରାଗ ଶ୍ରୀଅଙ୍ଗରାଗ ବାସ

ମୃଗଲାଞ୍ଛନ ମରୀଚି ଚୂର୍ଣ୍ଣ ଧାବଲ୍ୟ ପରକାଶ,

ମଧୁମାଦକ ଗୁଣସୂଚକ କୋକିଳ କଳଘୋଷ,

ମଣିମଣ୍ଡିତ କିଙ୍ଗିଣୀଯୂତ, ମଞ୍ଜୁ ମଞ୍ଜୀର ଭୂଷାଶିଞ୍ଜିତ,

ରସନା ରଣତ୍କାର ଶ୍ରବଣ କଲା ବିବେକ ମୋଷ ।୨।

 

ମଧୁ ମଧୁର ବଧୂ ଅଧର କିଶୋରବର ରଦନାମ୍ବର,

ବିମ୍ବ ଚୁମ୍ବନ ଚୁଁ - କୃତି ସ୍ଵନମେଳା,

ମୃଦୁ ମନ୍ମନ ଧ୍ୱନି ଜନନ କଲାଟି କ୍ରୋଡ଼ଖେଳା,

ମହେନ୍ଦ୍ର ମଣି, ବଳୟ ଶ୍ରେଣୀ ରଟିଲା ହୋଇ ଲୋଳା,

ମନୋଜ୍ଞ ଚାଟୁପୀୟୂଷମୟ, ମିଶ୍ରିତ ହେଉ ହେଉ ସମୟ,

ମାର ମହତ୍ତ୍ଵ ଗଲା କି ନାହିଁ ହେଲା ସଂଶୟଦୋଳା ।୩।

 

ମନ୍ଦାର ବନ ସେ ବନ ରସାଚକ୍ରେ ରଚିଲା ସୂନବରଷା,

ରସିଲେ ସର୍ବ ଗନ୍ଧର୍ବମାନେ ଗାନେ;

ମାତି ତାଣ୍ଡବ ରଚିଲେ ଦେବଦାସୀଏ ସାବଧାନେ,

ମର୍ଦ୍ଦଳ ଘୋଷ ହେଲା ତ୍ରିଦଶ ମଣ୍ଡଳେ ସବୁସ୍ଥାନେ,

ମୁକତ ପ୍ରାୟ ହେଲା ତ୍ରିଲୋକ - ମାନସୁ ମ୍ଳାନ କଲେ ପାତକ,

ଶ୍ରୀ ଜଗଦ୍ଦେବ ହରିଚନ୍ଦନ ସେ ମହୋତ୍ସବ ଧ୍ୟାନେ ।୪।

 

ଯ ଚମ୍ପୂ

(ରାଗ: ମୁଖାବରୀ)

 

ଯୋଷାବର ରେ, ଯଥାର୍ଥରେ ଜାଣ ମୁଁ ତୋହର ରେ,

ଯାମଳଭୂଧରନିଭପୟୋଧର ମରଦନିଆ ଚାକର ରେ ।ପଦ।

 

ଯାବକ ତୋ ପଦକଞ୍ଜର ସମଦଗଜଗତି ମୋ ଶେଖର ରେ,

ଯତୀନ୍ଦ୍ରସମାଧିଖଣ୍ଡନା ତୁ ନିଧି ମୁଁ ରଙ୍କମାନଙ୍କ ବର ରେ ।୧।

 

ଯମକ କି ତୁହି ପୂର୍ଣ୍ଣଚନ୍ଦ୍ରମୁହିଁ ମୋ ମହାଶୁଭଦଶାର ରେ,

ଯତ୍ନେ ସମ୍ପାଦିବା ଚିନ୍ତାମଣି ଅବା ମୋ କରେ ହେଳୁ ସୁସାରରେ ।୨।

 

ଯୁବତୀକଦମ୍ବରାଜା ଅବଲମ୍ବ ହୋଇଲୁ ଯେବେ ନିକର ରେ,

ଯୁଦ୍ଧକୁ ସନ୍ନଦ୍ଧ ହେଉ ଅତି କ୍ରୁଦ୍ଧ ହୋଇ ପଛେ ପଞ୍ଚଶର ରେ ।୩।

 

ଯମୁନାବାହିନୀ ତଟରରୁହବନୀ ଅବନୀ ବନାଇବାର ରେ ,

ଯଶ ରଖି ନିନ୍ଦାପଟଳୀରୁ ବୃନ୍ଦା କରାଇଲା ତ ନିବାର ରେ ।୪।

 

ଯଶୋଦାକୁମାର ଗିରେ ରାଧା ଶିର ନୂଆଇଁଲେ ଲଜ୍ଜାଭର ରେ,

ଯୁଗଳ ବିଗ୍ରହ କର ଅନୁଗ୍ରହ ଅଷ୍ଟଦୁର୍ଗ - ପୁରନ୍ଦର ରେ ।୫।

 

ର ଚମ୍ପୂ

(ରାଗ - କେଦାର)

 

ରସାଳସା ରେ, ରସି ପୁଣି ଏ କି ଲୋକହସା ରେ ।ପଦ।

ରକ୍ତିମା ଚୁମ୍ବିଲା ଇନ୍ଦ୍ରଆଶାରେ, ରାଜୀବେ ପ୍ରଫୁଲ୍ଲ ହେଲେ କାସାରେ ।୧।

ରତିନାଥ ସମର ପ୍ରଶଂସାରେ, ରମଣୀ କେ ନ ରସନ୍ତି ସଂସାରେ ।୨।

ରସନ୍ତି ରସିକେ ସିନା ନିଶାରେ, ରଜନୀ ଶେଷରେ ଏ କି ଦଶାରେ ।୩।

ରମଣୀୟ ହେମକୁ ସୁଦୃଶାରେ, ରଖିଲୁ କେଡ଼େ ନିବିଡ଼େ ମସାରେ ।୪।

ରହୁ ନା ଅଯଶ ଆଉ ରସାରେ, ରସାରୁହରୁ ଲତାକୁ ଖସା ରେ ।୫।

ରାଜା ଅଷ୍ଟଦୁର୍ଗର ଏ ଭାଷାରେ, ରଚେ ଏବେ ବିଜେ ହୋଇ ସୁସାରେ ।୬।

 

ଲ ଚମ୍ପୂ

(ରାଗ – ଖଣ୍ଡକାମୋଦୀ - ଅବକାଶ)

 

ଲୀଳାନିଧି ହେ, ଲାଜେ ମୁଁ ଗଲିଟି ସଢ଼ି,

ଲୁଚାଇଛ କାହିଁ ଶ୍ୟାମ ହେ ଦିଅ ମୋ ଲାଗି - ଶାଢ଼ୀ ।ପଦ।

 

ଲଭି ତୁମ୍ଭଙ୍କୁ ପ୍ରାଣବନ୍ଧୁ କରି, ଲୋକହସାରେ ଯେବେ ଯିବି ସରି,

ଲସିବି ଯେବେ ପାଇ ନିନ୍ଦା ଦାଉ, ଲାଗିଲି ଆପଣଙ୍କୁ କେହି ଆଉ ।୧।

 

ଲକ୍ଷ ଲକ୍ଷ ରାଣ ଅଛିଟି ମୋର, ଲଲାମ ଆଦି ଭୂଷା ସଜ କର,

ଲିଭିଥିବ ଭୂରୁ ମଧ୍ୟ ତିଳକ, ଲେଖିଦିଅ ବେଗେ ନ ଦେଖୁ ଲୋକ ।୨।

 

ଲୋଭୀ, ଶ୍ରୀଭୁଜବନ୍ଧ ଶିଥିଳାଅ, ଲତା ଗହଳେ ଗହନେ ପଳାଅ,

ଲାଗିଛି ଲାକ୍ଷା ମୁକୁଟ ଶିଖଣ୍ଡେ, ଲାଜ କଥା ଲୋକେ ଦେଖିଲେ ଦାଣ୍ଡେ ।୩।

 

ଲଗାଇଛ ହଟ ଯେଉଁ ରସରେ, ଲୁଟିବ ସିନା କଲି ପ୍ରଦୋଷରେ,

ଲଙ୍ଘି ଆଶ୍ରିତେ ଥିବା କୃପାସିନ୍ଧୁ, ଲାଞ୍ଚୁଆଟି କେଡ଼େ ହେଲ ହେ ବନ୍ଧୁ ।୪।

 

ଲଲିତା ନୋହେଟି ଯେ ଡାକୁଅଛି, ଲକ୍ଷେ ଦୁଷ୍ଟେ ରଖିଅଛି ମୁଁ ବାଛି,

ଲଘୁ କରିଦେବ ଦେଖିବା କ୍ଷଣେ, ଲେଖାଧିପ ଅଷ୍ଟଦୁର୍ଗର ଭଣେ ।୫।

 

ୱ ଚମ୍ପୂ

(ରାଗ - ସାବେରୀ)

 

ବିଚିତ୍ର ବେଶ ମଞ୍ଜୁଳା ରେ ବାଳା, ବିବିଧ ଚାତୁରୀଶୀଳା,

ବିଭାବରୀ ଅର୍ଦ୍ଧେ ଏକାକୀ ଏକାକୀ ହୋଇ ରଚୁ ଫୁଲତୋଳା ରେ,

ବିଳାସକୁଶଳା ରେ, ବଲ୍ଲୀ ନିଳୟ ବିହାର ଲୋଳା ।୧।

ବାଳକାଳୁ ବାସ ପରି ରେ ବାଳା, ବଞ୍ଚୁଥିଲୁ ଅନୁସରି,

ବିଲକ୍ଷଣ ବନବିହାରଉତ୍ସବ ବେଳେ ଯା ଦେଲୁ ପାସୋରି ରେ,

ବିଚାର ତ ଗୋରୀ ରେ, ବିଶ୍ଵେ କାହିଁକି ପ୍ରୀତି ଆଚରି ।୨।

ବ୍ୟସ୍ତ ହୋଇ ଚିତ୍ରମାଛି ରେ ବାଳା, ବ୍ରଣଗଣ ତ ଦିଶୁଛି,

ବିମ୍ବାଧରୁ ନବପଲ୍ଲବମାନଙ୍କୁ ବାଣ୍ଟିଲୁ କି କିଛି କିଛି ରେ,

ବିଶ୍ଳଥ ହୋଇଛି ରେ, ବାସ ପିନ୍ଧିଥାଉ ପରା କାଛି ।୩।

ବଲ୍ଲୀକି ଅନାଇ ଦୂରୁ ରେ, ବାଳା ବାସରେ ତ ଭୟ କରୁ,

ବ୍ରଜେ ଆଜ ଶୁଣି ଆସିଲୁ ତୁ ପୁଣି ପ୍ରତିରାତି ଆସି ଘରୁ ରେ,

ବିଜନେ ସଞ୍ଚରୁ ରେ, ବଡ଼ ବିଷମ ଏ ଯା ନ ଡରୁ ।୪।

ବିନୟନୟବସତି ରେ ବାଳା; ବିମୋହନ କଳାବତି,

ବିରୂପାକ୍ଷଦେବ - ବିପକ୍ଷକୁ ଜିଣି ଯଶେ ମଣ୍ଡିଲୁ କି କ୍ଷିତି ରେ,

ବଲ୍ଲବଯୁବତି ରେ, ବନ୍ଦେ ଅଷ୍ଟଦୁର୍ଗଧରାପତି ।୫।

 

ଶ ଚମ୍ପୂ

(ରାଗ: ନଳିନୀଗୌଡ଼ା)

 

ଶ୍ୟାମ ଶିଖଣ୍ଡଚୂଳ, ଶ୍ରମ କି ଆଜଯାକେ ହେଲା ସଫଳ ।ପଦ।

ଶର୍ବରୀ ନିଦ୍ରା ବିନା ଗଲା କି ସରି, ଶମ୍ବରପରପୁର କଲ କି ଜୁରି ।୧।

ଶ୍ରୀଅଙ୍ଗ ବେଶ କିପାଁ ଏପରି ଆଜ, ଶରଦଚନ୍ଦ୍ର ଚୁମ୍ବୁ ନାହିଁ କି ଲାଜ ।୨।

ଶିଶୁ ହେଲେହେଁ ତୁମ୍ଭେ କଲଭ ସରି, ଶଶକିଶୋରୀଟିକି ଦେଲ ଯେ ସାରି ।୩।

ଶିରୀଷମାଳା ଦଳିଦେଇ କୁଠାରେ, ଶଙ୍କା ନ କଲ ସଖୀମାନଙ୍କଠାରେ ।୪।

ଶରମପ୍ରଦ ଆଜସରିକି ହେଲା, ଶମନସ୍ଵସା – ତଟ - ଅଟବୀବୁଲା ।୫।

ଶିର ସୁନ୍ଦର ଦିଶେ ଯାବକ ବୋଳେ, ଶରଣ ବୋଲି କି ପଡ଼ିଲ ପା’ ତଳେ ।୬।

ଶପଥ ଶତ ଅଛି କହଟି ସତେ, ଶ୍ରୀ ବାଲୁକେଶ ନୃପ ରଚିଲେ ଗୀତେ ।୭।

 

ସ ଚମ୍ପୂ

(ରାଗ - ମୁଖାବରୀ)

 

ସପତଟି ମୋର ରେ, ସହ ଏହି ଥର ରେ,

ସାର ହାରମସାରମଣିବର ପରି ଧରି ବକ୍ଷଃସ୍ଥଳେ ନିରନ୍ତର,

ନ ଫିଙ୍ଗି ପୁଣି ହଟି, ସୁନ୍ଦର ନୁହଇଟି,

ବିଚାରି ଭରସା ବଢ଼ାଅ ଅପରିମିତ ।ପଦ।

 

ଶୁଣିଲେ ଆଉ କେ ବ୍ରଜେ, ସରିଯିବି ସିନା ଲାଜେ,

ସାହା ତୁ ନୋହିଲେ କିଛି, ସଂସାରେ ନିକି ମୁଁ ଅଛି ।୧।

 

ସାଧୁଜନ କୁକ୍ଷିକୂପେ, ଭଲ ମନ୍ଦ ସିନା ଛପେ,

ସଂହର କ୍ରୋଧ ଉଦୟ, ସହଜେ ତୁ ସହୃଦୟ ।୨।

 

ସବୁ ଅନ୍ୟାୟ ଚରିତ, ଶିକ୍ଷାକୁ ଗୁରୁ ତୁହି ତ,

ସମୟେ କାଟୁ ତୋଟିକି, ସଖା ଲକ୍ଷଣ ଏଟି କି ।୩।

 

ସମାଂସମୀନା ଅୟୁତେ, ସମର୍ପି ଦେବିଟି ତୋତେ,

ସମ୍ଭାଳ ମୋର ଆବୁର, ସର୍ବସ୍ଵ ପରା ତୁ ମୋର ।୪।

 

 

ସାକ୍ଷାତ ଦେଖିଲା ପରି, ସାକ୍ଷୀ ହେବାକୁ ବାହାରି,

ସାଧିବାର ଅବିଚାର, ସପତ୍ନ ନୁହେଁ ମୁଁ ତୋର ।୫।

 

ସାନ୍ଦୀପନିସୁତ ଯତି, ସେ କି ଜାଣେ ବୋଲି ପ୍ରୀତି,

ସରସେ ପିଟିବେ ଢକ୍‌କା, ସମ୍ପାଦିବୁ ଏତେ ଏକା ।୬।

 

ଶୁଣି କିଶୋର ବଚନ, ସଖା କଲେ ଆଲିଙ୍ଗନ,

ସୁତ୍ରାମା ଅଷ୍ଟଦୁର୍ଗର, ସନ୍ତୋଷେ ଯୋଡ଼ିଲେ କର ।୭।

 

 

ଷ ଚମ୍ପୂ

(ରାଗ - ଶଙ୍କରାଭରଣ ବା ମୋହନା)

 

ଷଟପଦନୀଳକେଶା ଆଗୋ ଚାହଁ ଚାହଁ,

ସର୍ବଂସହାରେ ଖେଳୁଛି ନବ ବାରିବାହ,

ସମୀପରେ ତାର ରହି,

ସରଜୁଛନ୍ତି ନର୍ତ୍ତନ ଅନେକ ବରହୀ ।୧।

 

ସଜ ହୋଇ ସ୍ମରସରଦାର ଅବା ଆସେ,

ସ୍ଵକୀୟ ଫଉଜ ଘେରିଅଛି ଚଉପାଶେ,

ସାରିଦେବି ପରା ଆଜ,

ସରୋଜସୁନ୍ଦରନେତ୍ରା ଜନ - ମନ ଲାଜ ।୨।

 

ସୁରେଶ୍ଵରରତନ କି ହେବାରୁ ଜଙ୍ଗମ,

ସବୁ ମଣିମାନଙ୍କୁ ମିଳିଲା ସେହି କ୍ରମ,

ସ୍ୱର୍ଣ୍ଣବର୍ଣ୍ଣାଏ ଏଣିକି,

ସମ୍ପାଦିବେ ମୂର୍ତ୍ତିମନ୍ତ ରତନଶ୍ରେଣୀକି ।୩।

 

 

 

 

 

 

ସଞ୍ଚରଣଶୀଳ ନବ ତମାଳ ଭୂରୁହ,

ସଙ୍ଗେ ଘେନି ଆସୁଅଛି ସଖା-ଶାଖିବ୍ୟୂହ,

ଶୁକ ଶାରୀ ପରଭୃତ,

ଶାଖାମାନଙ୍କରେ କରୁଅଛନ୍ତି ସଙ୍ଗୀତ ।୪।

 

ସୁରଧୂନୀ ତୀରେ କରିଥିବା ଯେବେ ତପ,

ସଙ୍ଖାଳି କରି ଏ ତାପିଞ୍ଛର ଅନାତପ,

ସୁଖେ ବଞ୍ଚିବା ବସନ୍ତେ,

ସାମନ୍ତ ସୁଧାଂଶୁ ଜଗଦ୍ଦେବ ବୋଲେ ଗୀତେ ।୫।

 

ହ ଚମ୍ପୂ

(ରାଗ - ଗୌଡ଼ା)

 

ହରି ଆମ୍ଭର ହେ, ଏତ ପ୍ରାଣର ଧନ ।ପଦ।

ହରିହୟମଣିକି ଜିଣିଛି ଅପଘନ, ନିନ୍ଦୁଅଛି ଇନ୍ଦୁକୁ ବଦନ ଗୋ ।୧।

ହଜାର ସଂଖ୍ୟକ ହେଲେ ହେଲେହେଁ ମଦନ, ନୋହିବ ଏ ମୋହନ ସମାନ ଗୋ ।୨।

ହଜି ନ ଯିବ ଜୀମୂତକେଶାର କି ଜ୍ଞାନ, ଶୁଣୁ ଶୁଣୁ ମୃଦୁ ବେଣୁଗାନ ଗୋ ।୩।

ହଟି ଥରେ କରିବା କି ରଦାମ୍ବର ପାନ, ହେଉ ଫଳବନ୍ତ ଯଉବନ ଗୋ ।୪।

ହାର ମଧ୍ୟରେ ଆମ୍ଭ ତରଳରତନ ଗୋ, ହେବେ କି ଏ ଯୁବତୀ ଜୀବନ ଗୋ ।୫।

ହୃଷ୍ଟ ହୋଇ ଅଷ୍ଟଦୁର୍ଗନମୁଚିସୂଦନ ଗୋ, କରେ ଏ ରସରେ ବିରଚନ ଗୋ ।୬।

 

କ୍ଷ ଚମ୍ପୂ

(ରାଗ - କେଦାର)

 

କ୍ଷମାନୁକମ୍ପାଧର ହେ, କ୍ଷୀରସାଗରସମ୍ଭବା –

କୁଚକୁମ୍ଭଯୁଗଳପରିରମ୍ଭ - ଚତୁର ହେ ।ପଦ।

କ୍ଷିତିଚକ୍ରବାଳ ମହାଭୀତି ନିବାରଣ ହେ,

ଶ୍ରୁତିଶିର ଅବତଂସାକୃତି ଶ୍ରୀଚରଣ ହେ,

ମରାଳବିହରଣ, କରାର୍ଚ୍ଚିତ ଚରଣ, ଧରାଭାର ହରଣ, ଚରାଚର ଶରଣ,

ତରାବର କିରଣ, ବରାବର ଚରଣ ନଖାଂଶୁ ସୁରଗଣଶିଖାଭରଣ ହେ ।୧।

 

କ୍ଷଣେ ହେଲେ ନାମକୁ ନ ଭଣେ ମୁଁ ତୁମ୍ଭର ହେ,

ଜଣେ ତ ହେବାରୁ ପାପିଗଣେ ବିଶ୍ଵମ୍ଭର ହେ,

ମନା ନ କର ହିତ, ଅନାଦର ରହିତ ଅନାଉଣି ନିରତ, ଚୂନା କରୁ ଦୂରିତ,

ଅନାରତ ମୋ ଚିତ୍ତ, ମନାସୁଛି ଅହିତ, ଜନାର୍ଦ୍ଦନ ପତିତଜନାବହିତ ହେ ।୨।

 

କ୍ଷମ ତ ମୁଁ ନୁହେ ଅନୁପମ - ଅନୁଭାବ ହେ,

ଯମଦଣ୍ଡରୁ ମୋ ରକ୍ଷା କେମନ୍ତଟି ହେବ ହେ,

ଜଳାକରଭବନ - ବଳାମୁଖ ଭୁବନ - ବଳାହିତ ରତନ, ବଳାବରଜ, ଜନ -

କଳାପର ବୃଜିନ ଦଳା ସୁକୃତଧନ - ବଳାଢ଼୍ୟମୁନି – ମନ - କଳାପି - ଘନ ହେ ।୩।

 

କ୍ଷମାଧିପ ଜଗଦ୍ଦେବ ସମାପନ କରେ ହେ

ଶ୍ରମାର୍ତ୍ତ ହେବାରୁ ଭବ ଭ୍ରମାତିଶୟରେ ହେ,

ବ୍ୟଥା ନିବହ ହର, ପ୍ରଥା ଚଳୁ ମିହିର, ପଥାନ୍ତରକୁ ହର - ରଥାଦିରୁ ଅମର,

ମଥାମଣି ନିକର, ରଥାଙ୍ଗଯୁତ କର, କଥା ବିନୟ ମୋର ବୃଥା ନ କର ହେ ।୪।